Support

Breaking News

ଭରତ 5-1 ସିରିଜ ଜିତିଲା। ବିରାଟ କୋହଲିଙ୍କ ବିଶ୍ୱରେକର୍ଡ

ଭରତ 5-1 ସିରିଜ ଜିତିଲା। ବିରାଟ କୋହଲିଙ୍କ  ବିଶ୍ୱରେକର୍ଡ
Img-TOI


ଦକ୍ଷିଣ ଆଫ୍ରିକା ଓ ଭରତ ମଧ୍ୟରେ ଚାଲୁଥିବା ଦିନିକିଆ ସିରିଜରେ ଭାରତ 5-1 ବ୍ୟବଧାନରେ ଦକ୍ଷିଣ ଆଫ୍ରିକା କୁ ପରାସ୍ତ କରି ଇତିହାସ ସୃଷ୍ଟି କରିଛି। ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ବେଶ୍‌ ଶକ୍ତିଶାଳୀ ମନେହଉଥିଲେ ମଧ୍ୟ  ଭାରତ ବିପକ୍ଷ ଦିନିକିଆ ସିରିଜରେ ନିହାତି ମାମୁଲି ସାବ୍ୟସ୍ତ ହୋଇଛି। ଭ୍ରମଣକାରୀ ଭାରତ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ଦମ୍‌ଦାର ପ୍ରଦର୍ଶନ କରି ଆଧିପତ୍ୟ ବିସ୍ତାର କରିବା ସହ  6 ମ୍ୟାଚ ବିଶିଷ୍ଟ ଏହି ସିରିଜକୁ 5-1 ବ୍ୟବଧାନରେ ହାତେଇ ନେଇଛି । ଅଧିନାୟକ ବିରାଟ କୋହଲି ସରିଜର ତୃତୀୟ ଓ କ୍ୟାରିୟର 35ତମ ଶତକ ହାସଲ କରି କୌଣସି ଦ୍ୱିପାକ୍ଷିକ ସିରିଜରେ 500ରୁ ଉର୍ଦ୍ଧ୍ୱ ରନ ସଂଗ୍ରହ କରି ବିଶ୍ୱରେକର୍ଡ କରିବା ସହ ଭାରତକୁ ଜିତାଇଛନ୍ତି। 


ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଘରୋଇ ଦଳ 46.5 ଓଭରରେ 204 ରନ କରି ଅଲଆଉଟ ହୋଇଥିଲା। ଜବାବରେ ଭାରତ 107 ଟି ବଲ ବାକି ଥାଇ 8 ଉଇକେଟରେ ବିଜୟ ହାସଲ କରିଛି। ଭାରତ 32.1 ଓଭରରେ 2 ଉଇକେଟ ହରାଇ ୨୦୬ ରନ କରି ବାଜି ମାରିଛି। ସାରା ସିରିଜରେ ଦମ୍‌ଦାର ପ୍ରଦର୍ଶନ ପାଇଁ କୋହଲି ଉଭୟ ମ୍ୟାନ ଅଫ ଦି ସିରିଜ ଓ ମ୍ୟାଚ୍‌ ବିବେଚିତ ହୋଇଛନ୍ତି। 205 ରନ ଟାର୍ଗେଟର ପିଛା କରି ଭାରତ ଅତି ସହଜରେ ଲକ୍ଷ୍ୟ ହାସଲ କରିନେଇଥିଲା। ଦୁଇ ଓପନର ଶିଖର ଧାଓ୍ବନ ଓ ରୋହିତ ଶର୍ମା ଯଥାକ୍ରମେ 18 ଓ 15 ରନ କରି ଲୁଙ୍ଗି ଏନ୍‌ଗିଡଙ୍କ ଦ୍ୱାରା ଆଉଟ ହୋଇଥିଲେ। ତେବେ ଏହା ପରେ ଆଉ କୌଣସି କ୍ଷତି ହେବାକୁ ନ ଦେଇ କୋହଲି ଓ ଆଜିଙ୍କ୍ୟ ରାହାନେ ତୃତୀୟ ଉଇକେଟ ଯୋଡିରେ ଅପରାଜିତ 126 ରନ କରି ଦଳକୁ ଜିତାଇଥିଲେ। କୋହଲି 129 ରନର ଶତକୀୟ ପାଳି ଖେଳି ଅପରାଜିତ ରହିଥିଲେ। ସେ 96ଟି ବଲ ଖେଳି 19ଟି ଚୌକା ଓ ଦୁଇଟି ଛକା ମାରିଥିଲେ। ସେହିପରି ରାହାନେ 34 ରନ କରି ଅପରାଜିତ ରହିଥିଲେ। 


ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକାର ଆରମ୍ଭ ସେତେଟା ଭଲ ନ ଥିଲା। ତେବେ ଦଳ ଏକଦା 2 ଉଇକେଟ ହରାଇ 105 ରନ ସଂଗ୍ରହ କରିଥିଲା। ଏହା ପରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଦକ୍ଷିଣ ଆଫ୍ରିକା 204 ରନରେ ସୀମିତ ରହିଥିଲା। ଦୁର୍ବଳ ଫର୍ମ ଦେଇ ଗତି କରୁଥିବା ଅଭିଜ୍ଞ ଓପନର ହାସିମ ଅମଲା 10 ରନ କରି ଆଉଟ ହେବା ପରେ ଅଧିନାୟକ ଏଡେନ ମାରକ୍ରାମ 24ରନ କରି ପ୍ୟାଭିଲିୟନ ଫେରିଥିଲେ। ଠାକୁର ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନର ରାସ୍ତା ଦେଖାଇଥିଲେ। ଏହା ପରେ ତୃତୀୟ ଉଇକେଟ ଯୋଡିରେ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଏବି ଡି’ଭିଲର୍ସ ଓ ଖାୟା ଜୋଣ୍ଡେଙ୍କ ମଧ୍ୟରେ 62 ରନର ଭାଗୀଦାରି ସ୍ଥାପନ ହୋଇଥିଲା। ଲାଗୁଥିଲା ଘରୋଇ ଦଳ ଏକ ବଡ଼ ସ୍କୋର ହାସଲ କରିବ। ତେବେ ଡି’ଭିଲର୍ସ 30 ରନ କରିଥିବା ବେଳେ ରିଷ୍ଟ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇଥିଲେ। ଏହା ପରେ ଚତୁର୍ଥ ଉଇକେଟ ଯୋଡିରେ ଜୋଣ୍ଡୋ ଓ ଉଇକେଟ କିପର ବ୍ୟାଟ୍ସମ୍ୟାନ ହେନିରିଚ୍‌ କ୍ଲାସେନ୍‌ ୩୦ ରନ ଯୋଗ କରିଥିଲେ। କ୍ଲାସେନ୍‌ 22 ରନ କରି ଯଶପ୍ରୀତ ବୁମ୍‌ରାଙ୍କ ବଲରେ ବିରାଟ କୋହଲିଙ୍କୁ କ୍ୟାଚ ଦେଇ ଆଉଟ ହୋଇଥିଲେ। ଏହା ପରେ ଫରହାନ ବେହାରଡିନ 1 ଓ ତାରକା ଅଲରାଉଣ୍ଡର କ୍ରିସ୍‌ ମୋରିସ୍‌ 4 ରନ କରି ଯାଥାକ୍ରମେ ଠାକୁର ଓ କୁଲଦୀପ ଯାଦବଙ୍କ ଶିକାର ହୋଇଥିଲେ। ଏହା ପରେ ପାଳି ପଡିଥିଲା ଜୋଣ୍ଡୋଙ୍କର। ସେ ସର୍ବାଧିକ ୫୪ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଚହଲଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଅଷ୍ଟମ ଉଇକେଟ ଯୋଡିରେ ମର୍ନେ ମୋର୍କେଲ ଓ ଆଣ୍ଡିଲ ଫେଲୁକ୍ୱାୟେ 36ରନ କରିଥିଲେ। ମୋର୍କେଲ 20, ଇମ୍ରାନ ତାହିର 2 ରନ କରି ଯାଥାକ୍ରମେ ହାର୍ଦ୍ଦିକ ପାଣ୍ଡ୍ୟା ଓ ବୁମ୍‌ରାଙ୍କ ଦ୍ୱାରା ଆଉଟ ହୋଇଥିଲେ। ଶେଷ ଉଇକେଟ ଭାବେ ଫେଲୁକ୍ୱାୟୋ 34 ରନ କରି ଠାକୁରଙ୍କ ଦ୍ୱାରା କଟ୍‌ ଆଣ୍ଡ ବୋଲ୍ଡ ହେବା ପୂର୍ବରୁ ଦଳର ସ୍କୋରକୁ 200 ରନ ପାର କରାଇଥିଲେ। ଲୁଙ୍ଗି ଏନ୍‌ଗିଡି ବିନାସ୍କୋରରେ ଅପରାଜିତ ରହିଥିଲେ। ବୋଲିଂରେ ଭାରତ ତରଫରୁ ଠାକୁର ସର୍ବାଧିକ 4, ବୁମ୍‌ରା ଓ ଚହଲ ଦୁଇଟି ଲେଖାଏ, ପାଣ୍ଡ୍ୟା ଓ କୁଲଦୀପ ଗୋଟିଏ କରି ଉଇକେଟ ହାସଲ କରିଥିଲେ। ଠାକୁର ଅମଲା, ମାରକ୍ରାମ, ବେହାରଡିନ ଓ ଫେଲୁକ୍ୱାୟୋଙ୍କୁ ଆଉଟ୍‌ କରିଥିଲେ।

No comments