ବିଦ୍ୟୁତ ଶୁଳ୍କ ପୁଣି ବଢିପାରେ
OPTCL New Duburi |
ବିଦ୍ୟୁତ ଶୁଳ୍କ ପୁଣି ବଢିପାରେ । GRIDCO, OPTCL, OPGC, NESCO, WESCO, CESU ଭଳି ବିଦ୍ୟୁତ ଉତ୍ପାଦନକାରୀ ଓ ବଣ୍ଟନକାରୀ ସଂସ୍ଥା ବିଦ୍ୟୁତ୍ ବିଲ୍ ବଢାଇବା ପାଇଁ ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗ (OERC)ଙ୍କ ନିକଟରେ ଆବେଦନ କରିଛନ୍ତି। ଆସନ୍ତା ଫେବୃୟାରୀ ମାସ 5 ତାରିଖରୁ ଏ ନେଇ ଶୁଣାଣି ଆରମ୍ଭ ହେବ। ଫେବୃୟାରୀ 13 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଶୁଣାଣି ବେଳେ ସମସ୍ତ ଆବେଦନକାରୀ ନିଜର ପକ୍ଷ ରଖିବେ ।
ଶିଳ୍ପ ସଂସ୍ଥା ଓ ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ପରିବାର(BPL)ଗୁଡିକ ପାଇଁ ସାଧାରଣ ଉପଭୋକ୍ତାଙ୍କ ଉପରେ ବିଦ୍ୟୁତ୍ ଶୁଳ୍କ ବୋଝ ଲଦିବାକୁ ଯୋଜନା କରାଯାଉଛି। ଶିଳ୍ପ ସଂସ୍ଥାଗୁଡିକ ଉପରେ ବହୁକୋଟି ଟଙ୍କା ବକେୟା ପଡିଥିବା ବେଳେ ସରକାର ମାସିକ ମାତ୍ର 30 ଟଙ୍କାରେ ବିପିଏଲ ପରିବାରଗୁଡିକୁ ବିଦ୍ୟୁତ୍ ଯୋଗାଇ ଦେଉଛନ୍ତି। ଫଳରେ ଦିନକୁ ଦିନ ବିଦ୍ୟୁତ୍ ବୋଝ ବଢି ବଢି ଚାଲିଛି। ବିଦ୍ୟୁତ୍ ଉତ୍ପାଦନ ଓ କ୍ରୟ ଖର୍ଚ୍ଚ ଉପରେ ଏହାର ବୋଝ ବଢି ବଢି ଚାଲିଛି। ବାର୍ଷିକ ଖର୍ଚ୍ଚ ମେଣ୍ଟାଇବା ପାଇଁ ଶୁଳ୍କ 10 ରୁ 20 ପ୍ରତିଶତ ବଢାଇବା ଦରକାର ବୋଲି ଗ୍ରୀଡ୍କୋର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ବଣ୍ଟନ କମ୍ପାନୀଗୁଡିକ ବିଦ୍ୟୁତ୍ କ୍ରୟ ବାବଦରେ 6624 କୋଟି ପଇଠ କରିନାହାନ୍ତି। ବିଦ୍ୟୁତ ବିଲ୍ ବାବଦରେ ବଣ୍ଟନ କମ୍ପାନୀ ୱେସ୍କୋ ଉପରେ 1811କୋଟି ଟଙ୍କା ବକେୟା ପଡିଥିବା ବେଳେ ନେସ୍କୋ ଉପରେ1230 କୋଟି, ସାଉଥକୋ ଉପରେ 1059କୋଟି ଏବଂ ସେସୁ ଉପରେ 2422 କୋଟି ଟଙ୍କା ବକେୟା ରହିଛି। ଅନ୍ୟପକ୍ଷରେ ପୁରୁଣାକାଳିଆ ତାର ଓ ସବ୍ଷ୍ଟେଶନ ଯୋଗୁ ରାଜ୍ୟରେ ପରିବହନ ଓ ବଣ୍ଟନ(Transmission & Distribution) ଜନିତ କ୍ଷତି ବଢୁଛି। ଏହି କ୍ଷତି କମାଇବାକୁ ବଣ୍ଟନ କମ୍ପାନୀଗୁଡିକ ଦୃଷ୍ଟି ଦେଉନାହାନ୍ତି।
ଓଡିଶାରେ ଟି ଆଣ୍ଡ ଡି କ୍ଷତି ଏବେ ବି 38% ପ୍ରତିଶତ ରହିଛି। ପଡୋଶୀ ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶରେ ଟି ଆଣ୍ଡ ଡି (Transmission & Distribution) କ୍ଷତି ଯଥାକ୍ରମେ 15.24 ଓ 16.1 ପ୍ରତିଶତ ରହିଛି। ଫଳରେ ଏହି କ୍ଷତିର ବୋଝ ସାଧାରଣ ଉପଭୋକ୍ତାଙ୍କ ଉପରେ ଲଦିବା ପାଇଁ ପ୍ରୟାସ କରାଯାଉଛି। ରାଜ୍ୟରେ ପ୍ରାୟ 60 ଲକ୍ଷ ବିଦ୍ୟୁତ୍ ଉପଭୋକ୍ତା ରହିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ 40 ଲକ୍ଷ ଘରୋଇ ଉପଭୋକ୍ତା। ଏଠାରେ ସୂଚନାଯୋଗ୍ୟ ଯେ ଗତ ବର୍ଷ ଓଇଆରସି ପକ୍ଷରୁ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି କରାଯାଇଥିଲା। ପ୍ରଥମ 50 ୟୁନିଟକୁ ବାଦ୍ ଦେଇ ପରବର୍ତ୍ତୀ ୟୁନିଟଗୁଡିକ ଉପରେ 10 ପଇସା ବୃଦ୍ଧି କରାଯାଇଥିଲା। ବିଦ୍ୟୁତ ଦର ଚଳିତ ବର୍ଷ ବୃଦ୍ଧି ପାଇବ କି ନାହିଁ ତାହା ଓଇଆରସିଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ।
No comments