Support

Breaking News

ଗୁଜୁରାଟରେ ପଦ୍ମାବତ୍ ଫିଲ୍ମ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ।

ରିଲିଜ୍ ହେବା ପୂର୍ବରୁ ବିବାଦରେ ଛନ୍ଦି ହୋଇପଡ଼ିଥିବା ସଞ୍ଜୟ ଲୀଳା ବଂଶାଲିଙ୍କ ଚଳଚ୍ଚିତ୍ର “ପଦ୍ମାବତ୍’ର ଶୁଭମୁକ୍ତି ପାଇଁ ସୁପ୍ରିମକୋର୍ଟ ସୁରକ୍ଷା ଯୋଗାଇ ଦେଇଥିଲେ ହେଁ ଅନିଶ୍ଚିତତା ଜାରି ରହିଛି । ଚଳିତ ଜାନୁଆରୀ ମାସ 25 ତାରିଖରେ ସାରା ଦେଶରେ ରିଲିଜ୍ ପାଇଁ ଚିତ୍ର ନିର୍ମାଣ ସଂସ୍ଥା ପକ୍ଷରୁ ପ୍ରସ୍ତୁତି ସରିଥିବା ବେଳେ ରବିବାର ଗୁଜରାଟରେ ଏହାକୁ କେନ୍ଦ୍ର କରି ହିଂସାକାଣ୍ଡ ଘଟିଥିବା ସୂଚନା ମିଳିଛି ।

 ପଦ୍ମାବତ ବିରୋଧ କରୁଥିବା ରାଜପୁତ ସମ୍ପ୍ରଦାୟ ପକ୍ଷରୁ ଗୁଜୁରାଟର ଗାନ୍ଧୀନଗର, ମେହସନା ଏବଂ ଅହମଦାବାଦରେ ବିକ୍ଷୋଭ ପ୍ରଦର୍ଶନ ସହ ବସ୍ ପୋଡ଼ି ଏବଂ ଗଣ୍ଡଗୋଳ ଘଟିଛି । ଚଳଚ୍ଚିତ୍ରକୁ ସମ୍ପୂର୍ଣ୍ଣ ନିଷିଦ୍ଧ ଦାବିକରି ଶ୍ରୀ ରାଜପୁତ କର୍ଣ୍ଣି ସେନାର ବିକ୍ଷୋଭକାରୀମାନେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛନ୍ତି । “ପଦ୍ମାବତ୍’ ଉପରେ ରୋକ୍ ଲଗାଇବା ପାଇଁ କୌଣସି ରାଜ୍ୟର ଅଧିକାର ନାହିଁ ବୋଲି ଗତ 18 ତାରିଖରେ ସୁପ୍ରିମକୋର୍ଟ ରାୟ ଦେବା ପରେ ଚଳଚ୍ଚିତ୍ର ନିର୍ମାଣ ସଂସ୍ଥା ଆଶ୍ୱସ୍ତ ହୋଇଥିଲେ ।

ଏଥିସହିତ ଫିଲ୍ମ ରିଲିଜ୍ ସମୟରେ ରାଜ୍ୟ ସରକାର ନିଜ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାକୁ ବାଧ୍ୟ ବୋଲି ସୁପ୍ରିମିକୋର୍ଟ ଟିପ୍ପଣୀ ବି ଦେଇଥିଲେ । ଏପରିକି ଫିଲ୍ମଟିକୁ ସିବିଏଫ୍ସି ଦେଇଥିବା ପ୍ରମାଣପତ୍ର ରଦ୍ଦ ଲାଗି ହୋଇଥିବା ଆବେଦନ ଗତ 19 ତାରିଖରେ ଖାରଜ ହେବା ପରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଆସନ୍ତା ଗୁରୁବାର ଏହା ମୁକ୍ତିଲାଭ କରିବାରେ ପ୍ରତିବନ୍ଧକ ନାହିଁ ବୋଲିମନେ ହେଉଥିଲା । ରାଜପୁତ୍ ସମ୍ପ୍ରଦାୟ ପକ୍ଷରୁ ଧମକ ଦିଆଯାଇଥିଲା ଯେ ପଦ୍ମାବତ ଫିଲ୍ମଟି ଯେଉଁ ଯେଉଁ ସବୁ ପ୍ରେକ୍ଷାଳୟରେ ରିଲିଜ୍ ହେବ, ସେଠାରେ ନିଆଁ ଲଗାଇ ଦିଆଯିବ । କର୍ଣ୍ଣିସେନାର ଧମକରେ ଡରି ଗୁଜରାଟ୍ର ସମସ୍ତ ମଲ୍ଟିପ୍ଲେକ୍ସ୍ ମାଲିକ ଫିଲ୍ମ ରିଲିଜ୍କୁ ବନ୍ଦ ରଖିଛନ୍ତି । ବସ୍ ପୋଡ଼ି ଓ ହିସାକାଣ୍ଡ ପରେ ଗୁଜରାଟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

No comments